ସ୍ୱରବିଜ୍ଞାନ ଓ ବିନା ଔଷଧରେ ରୋଗ ଚିକିତ୍ସା
Main Article Content
Abstract
" ଶରୀରମାଦ୍ୟo ଖଳୁ ଧର୍ମସାଧନମ " ଏହି ଉକ୍ତିଟି କେଉଁ ଆଦିମ କାଳରୁ ଶାସ୍ତ୍ରରେ ଲିପିବଦ୍ଧ । ବାସ୍ତବିକ ମନୁଷ୍ୟ ଯୁଗେ ଯୁଗେ ନିଜ ଶରୀରର ସୁସ୍ଥତା ପାଇଁ ଶତ ଚେଷ୍ଟିତ । ସେଥିପାଇଁ ହିଁ ଚରକ ଓ ସୁଶୃତଙ୍କ ପରି ମହାମନୀଷିଗଣ ନିଜର ସାରା ଜୀବନ ବିନିଯୋଗ କରି ଯାଇଛନ୍ତି । ଶାରୀରିକ , ମାନସିକ , ସାମାଜିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଯେଉଁ ବ୍ୟକ୍ତି ସୁସ୍ଥ , ସେ ହିଁ ପ୍ରକୃତ ସୁସ୍ଥ ବ୍ୟକ୍ତି ଭାବରେ ପରିଗଣିତ । ବର୍ତ୍ତମାନର ଆଧୁନିକ ଯନ୍ତ୍ରଚାଳିତ ମନୁଷ୍ୟ ପାଖରେ ସମସ୍ତ ଐଶ୍ୱର୍ଯ୍ୟ ଥାଇ ମଧ୍ୟ ସେ ସୁଖପ୍ରାପ୍ତ ହୋଇପାରୁନାହିଁ । କାରଣ ବିଶୃଙ୍ଖଳିତ ଜୀବନଚର୍ଯ୍ୟା ଆଧୁନିକ ମାନବ ସମାଜକୁ ବ୍ୟାଧିଗ୍ରସ୍ତ କରିଛି । ଏହି ବ୍ୟାଧିରୁ ମୁକ୍ତ ହେବାପାଇଁ ପୁଣି ମନୁଷ୍ୟ ଆଧୁନିକ ଚିକିତ୍ସା ବିଜ୍ଞାନକୁ ଅନୁଧବନ କରୁଛି । ଅନେକ ଅର୍ଥ ବ୍ୟୟ କରି ଔଷଧ ସେବନ କରୁଛି । କେତେକ କ୍ଷେତ୍ରରେ ରୋଗରୁ ଉପଶମ ମିଳୁଛି ତ ଆଉ କେତେକ କ୍ଷେତ୍ରରେ ଗୋଟିଏ ରୋଗ ଭଲ ହୋଇ ଆଉ ଗୋଟିଏ ନୂତନ ବ୍ୟାଧି ସୃଷ୍ଟି ହେଉଛି । ଆଧୁନିକ ମଣିଷ ଯଦି ଟିକେ ପଛକୁ ଫେରି ଆମର ମହାଭାରତୀୟ ମହାନ ସଂସ୍କୃତିକୁ ପର୍ଯ୍ୟାଲୋଚନା କରନ୍ତା , ତେବେ ଜାଣିପାରନ୍ତା ' ସୁସ୍ଥତାର ମନ୍ତ୍ର ' , ଜାଣିପାରନ୍ତା ପୂର୍ବେ ମୁନିଋଷିମାନେ ବିନା ଔଷଧରେ କିପରି ନିଃଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ରୋଗମୁକ୍ତ ହେଉଥିଲେ । ଏହି ଅଲୌକିକ ଚିକିତ୍ସାର ନାମ ' ସ୍ୱରବିଜ୍ଞାନ ' ।