କୁଟିଆ କନ୍ଧ ଆଦିବାସୀଙ୍କ ବିବାହ ପରମ୍ପରା : ଏକ ସଂକ୍ଷିପ୍ତ ଅଧ୍ୟୟନ
Main Article Content
Abstract
'କୁଟିଆ କନ୍ଧ' କନ୍ଧ ଜନଜାତି ସଂପ୍ରଦାୟର ଏକ ଅଂଶ ଏମାନେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବେଲଘର ଅଞ୍ଚଳରେ ବସବାସ କରୁଛନ୍ତି ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ, ମଦନପୁର ରାମପୁର ଓ ଥୁଆମୂଳ ରାମପୁର ବ୍ଳକରେ ବସବାସ କରନ୍ତି । ମାଳ ଅଞ୍ଚଳରେ ଜଙ୍ଗଲ ପରିବେଷ୍ଟିତ ଉପତ୍ୟକା ମଧ୍ୟରେ ବାସ କରନ୍ତି ଓ କୁଇ ଭାଷାରେ କଥୋପକଥନ କରିଥାନ୍ତି । ଏଣୁ ଏମାନେ ନିଜକୁ 'କୁଏଞ୍ଜୁ' ବୋଲି ମଧ୍ୟ ପରିଚୟ ଦେଇଥାଆନ୍ତି । ତେବେ ଭାଷା, ଶାରୀରିକ ଗଠନ ଓ ପୂଜାପାର୍ବଣର ପ୍ରଥା ଦୃଷ୍ଟିରୁ ଏମାନେ ସମାନ ଅଟନ୍ତି । କେତେକାଂଶରେ ଏହାର ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳେ । କୁଟିଆକନ୍ଧମାନେ ଖୁବ ସରଳ କିନ୍ତୁ ଜିଦରେ ଅଟଳ ରହିଥାନ୍ତି । ପ୍ରଥମ ପର୍ଯ୍ୟାୟରେ ଏମାନେ ପାହାଡ ଜଙ୍ଗଲରେ ବସବାସ କରୁଥିଲେ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଜଙ୍ଗଲି କନ୍ଦା, କନ୍ଦମୂଳ ଓ ଫଳ ମୂଳ ଖାଉଥିଲେ । ବର୍ତ୍ତମାନ ସମତଳ ଅଞ୍ଚଳରେ ମଧ୍ୟ ଏମାନେ ବସବାସ କରୁଛନ୍ତି ତଥା କୃଷି କାର୍ଯ୍ୟରେ ମଧ୍ୟ ସାମିଲ ହେଲେଣି ।
କନ୍ଧମାନଙ୍କର ବସତି ଦୃଷ୍ଟିରୁ ବିଭିନ୍ନ ପ୍ରକାରେ ପରିଚିତ ହୋଇଥାନ୍ତି । ଯଥା ଉଚ୍ଚ ପାହାଡ଼ରେ କୁଟିଆକନ୍ଧ, ଡଙ୍ଗର ଉପରେ ଡଙ୍ଗରିଆକନ୍ଧ, ଝରଣା ତଟରେ ଝରାଣିଆ କନ୍ଧ, ବେସ୍କା ଜମିରେ ବେସ୍କାକନ୍ଧ, ଖମାର ପାଖରେ ଖେମରିଆ କନ୍ଧ, ପାଙ୍ଗାମାଟିରେ ପାଙ୍ଗା କନ୍ଧ, ସମତଳ ଦେଶରେ ଦେଶିଆ କନ୍ଧ ଇତ୍ୟାଦି ।
କନ୍ଧ ପୁରୁଷ ଏକାଧିକ ପତ୍ନୀ ଗ୍ରହଣ କରିବାରେ ସାମାଜିକ ବା ପାରିବାରିକ ବାଧା ନାହିଁ । ତା'ର ସାମର୍ଥ୍ୟ ଓ ଶକ୍ତି ଉପରେ ଦ୍ଵିତୀୟ, ପତ୍ନୀ ଗ୍ରହଣ କରିବା ନିର୍ଭର କରେ । ଅନେକଙ୍କର ବିଶ୍ୱାସ ଯେ ଅଧିକ ପତ୍ନୀ ରହିଲେ ଅନେକ ସନ୍ତାନ ଜନ୍ମନେବେ ଏବଂ ପାରିବାରିକ ସଂପଦ-ଧନ-ଧାନ୍ୟ ବୃଦ୍ଧି ହେବ । ତା' ସଂଗେ ସଂଗେ କ୍ଷେତ, ବାଡ଼ି ଓ ସଂପଦର ବୋଝକୁ ସମ୍ଭାଳିବାରେ ନିଜ ସନ୍ତାନ ସହାୟକ ହେବ ବୋଲି ସେ ବିଶ୍ୱାସ କରେ । ମୋଟାମୋଟି ଭାବେ ଏହି ପ୍ରବନ୍ଧଟିରେ କୁଟିଆ କନ୍ଧମାନଙ୍କର ବିବାହ ପରମ୍ପରାକୁ ଆଲୋଚନା କରାଯାଇଛି । ଯାହା ଆଜିର ଆଧୁନିକ ବିବାହ ପରମ୍ପରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।