ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଆଦିବାସୀ ରମଣୀର ଅନନ୍ୟ ଗୁଣବତ୍ତା : ଏକ ଅଧ୍ୟୟନ

Main Article Content

ରୂପାଧର ମାଝୀ

Abstract

ଓଡ଼ିଆ ସାହିତ୍ୟର ଉପନ୍ୟାସରେ ଆଦିବାସୀ ଜୀବନଧାରାକୁ ଆଧାରକରି ଚରିତ୍ର ସୃଷ୍ଟି କରିବାରେ ଗୋପୀନାଥ ମହାନ୍ତି ଜଣେ ଅନନ୍ୟ ପ୍ରତିଭା | ସମାଜର ପରିସ୍ଥିତି, ପରିବେଶ ଓ ମାନବିକ ସମସ୍ୟାକୁ ରୂପଦେବା ନିମିତ୍ତ ଔପନ୍ୟାସିକ ମାନେ ଉପନ୍ୟାସରେ ନାରୀ ଓ ପୁରୁଷ ଉଭୟ ଚରିତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି | ଗୋପୀନାଥ, ଆଦିବାସୀ ନାରୀ ଚରିତ୍ରକୁ ନେଇ ଉପନ୍ୟାସ ରଚନା କରିବା ପୂର୍ବରୁ ଗୋପାଳବଲ୍ଲବ ଦାସ 1908 ମସିହାରେ 'ଭୀମାଭୁୟା' ଉପନ୍ୟାସ ରଚନା କରିଥିଲେ, କିନ୍ତୁ ଆଦିବାସୀ ସଂପ୍ରଦାୟ ଜୀବନଧାରାକୁ ରୂପାୟନ କରିବା ଅପେକ୍ଷା ରୋମାନ୍ସ ପୁର୍ଣ ଘଟଣାକୁ ଅଧିକ ଗୁରୁତ୍ୱ ଦେଇଥିଲେ | ସେମାନଙ୍କ ଜୀବନଧାରାକୁ ଅଧ୍ୟୟନ କରି ଚରିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଅଧିକ ଦୃଷ୍ଟି ଦେଇ ନଥିବା ମନେ ହୁଏ | ଏହି ଦୃଷ୍ଟିରୁ ଔପନାସିକ ଗୋପୀନାଥ ମହାନ୍ତି ଆଦିବାସୀ ଜୀବନଧାରାକୁ ନେଇ ଚରିତ୍ର ସୃଷ୍ଟି କରିବାରେ ଜଣେ କାଳଜୟୀ ସ୍ରଷ୍ଟା | ତାଙ୍କ ଦ୍ୱାରା ସୃଷ୍ଟି, ଉପନ୍ୟାସର ଚରିତ୍ରମାନେ ଆଦିବାସୀମାନଙ୍କ ଜୀବନଧାରା ସ୍ପଷ୍ଟ ପରିଚୟ ବହନ କରିଅଛନ୍ତି |


ଗୋପୀନାଥ ମହାନ୍ତି ଆଦିବାସୀ ମଣିଷକୁ ଚିହ୍ନି ତାଙ୍କ ମନକୁ ବୁଝିପାରିଛନ୍ତି | ଆଦିବାସୀ ପାହାଡିଆ ମଣିଷ ଜୀବନଧାରାକୁ ଅଧ୍ୟୟନ କରି ତାଙ୍କ ସହିତ ନିଜକୁ ପରଖିଛନ୍ତି | ବାସ୍ତବ ଦୁନିଆରେ ପ୍ରକୃତି ମାନବ ସମ୍ମୁଖରେ ନିଜକୁ ଉପସ୍ଥିତ କରି ସଭ୍ୟସମାଜର ମଣିଷ ଓ ଆଦିବାସୀ ମଣିଷ ସହିତ ତଉଲି ତାଙ୍କ ଜୀବନଚର୍ଯ୍ୟାକୁ ଉପନ୍ୟାସରେ ପର୍ଯ୍ୟାଲୋଚନା କରିଛନ୍ତି | ଆଦିବାସୀ ପୁରୁଷ ଚରିତ୍ର ଅପେକ୍ଷା ନାରୀ ଚରିତ୍ରକୁ ବେଶୀ ଗୁରୁତ୍ୱ ଦେଇ ଚରିତ୍ର ସୃଷ୍ଟି କରିଛନ୍ତି | ଆଦିବାସୀ ନାରୀ ଜଣେ ଅଶିକ୍ଷିତ ନିରକ୍ଷର କିନ୍ତୁ ଶିକ୍ଷିତ ମଣିଷ ଠାରୁ ନିଜର ମୌଳିକ ଜ୍ଞାନକୌଶଳରେ ପାରଙ୍ଗମ | ଆଦିବାସୀ ନାରୀଟିଏ ସଭ୍ୟ ସମାଜର ନାରୀ ପରି ହୁଏତ ବ୍ୟବହାର ଜାଣି ନଥାଏ କିନ୍ତୁ ସରଳ ମନର ସୁଗୁଣ ଓ ଗୁଣବତ୍ତା, ଯେ ତା ଭିତରେ ପୁରୀ ରହିଥାଏ, ସେ ସବୁ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ଜିଲି, ବିଲି, କାଜେଡି, ପୂୟୁ, ପିଓଟି, ଅପା ପ୍ରଭୁତି ଚରିତ୍ରକୁ ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ପଡେ | ଆଦିବାସୀ ନାରୀର ସୁଖ ଦୁଃଖର ସଂସାରରେ ତାର ଆତ୍ମବିଶ୍ୱାସ ଓ ଅଦ୍ୟମ ସାହସ ତାକୁ କିଭଳି ଭାବରେ ଅସାମାନ୍ୟ କରି ଗଢିତୋଳିଛି, ତାହା ହେଉଛି ଆଲୋଚ୍ୟ ଗବେଷଣାର ବିଷୟ |

Article Details

How to Cite
ମାଝୀ ର. (2022). ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଆଦିବାସୀ ରମଣୀର ଅନନ୍ୟ ଗୁଣବତ୍ତା : ଏକ ଅଧ୍ୟୟନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/73
Section
Articles