ଓଡ଼ିଆ ଲୋକଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱରୂପ : ଏକ ଅନୁଶୀଳନ

Main Article Content

ଡ଼ ନିବେଦିତା ମହାନ୍ତି

Abstract

ଶ୍ରୀଜଗନ୍ନାଥ କେବଳ ଉତ୍କଳର ନାଥ ନୁହନ୍ତି ବରଂ ସେ ଜଗତର ନଥାରୂପେ ବିଦିତ ହୋଇ ଏ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି | ସମୁଦ୍ରର ଅନନ୍ତ ବକ୍ଷରେ ନଦୀ ସମୂହ ବିଲୀନ ହେବାଭଳି,  ଶ୍ରୀଜଗନ୍ନାଥଙ୍କ ନିକଟରେ ବହୁ ମତ ପଥ, ମିଶି ଏକାକାର ହୋଇଯାଇଛି | ଆଦ୍ୟରେ ଶବର ପୂଜିତ ଶ୍ରୀଜଗନ୍ନାଥ ପରବର୍ତ୍ତୀ କାଳରେ ବୌଦ୍ଧଙ୍କର ତ୍ରିତତ୍ତ୍ୱ, ଜୈନଙ୍କର ତ୍ରିରତ୍ନ, ବୈଷ୍ଣବଙ୍କର ଶ୍ରୀପତି, ଶୈବଙ୍କର ଭୈରବ, ଗଣପତ୍ୟଙ୍କର ଶ୍ରୀଗଣେଶ ଏବଂ ତାନ୍ତ୍ରିକଙ୍କର ଦକ୍ଷିଣ କାଲିକା ରୂପେ ଅଭିହିତ ହୋଇଛନ୍ତି | ବେଦମନ୍ତ୍ରରେ ସେ ପୁଣି ସାଜିଛନ୍ତି ପ୍ରଣବ ଓଁକାର | ତେଣୁ କୌଣସି ନିର୍ଦ୍ଦିଷ୍ଟ ମତ, ପଥ ମଧ୍ୟରେ ସେ ନିଜକୁ ସୀମିତ କରିଦେଇ ନାହାନ୍ତି | ବରଂ ବହୁ ମତ ପଥକୁ ଆତ୍ମସ୍ଥ କରି ସେ ଗଣ ଦେବତାର ମାନ୍ୟତା ପାଇଛନ୍ତି | ଶ୍ରୀଜଗନ୍ନାଥ କେବଳ ଲୀଳାମୟ ନୁହନ୍ତି, ସେ ରହସ୍ୟମୟ | ତାଙ୍କ ରହସ୍ୟକୁ ଭେଦକରିବା ସାଧ୍ୟାତୀତ | "ଲୋକଗୀତ" ଭିତରେ ଶ୍ରୀଜଗନ୍ନାଥ ଓତଃପ୍ରୋତ ଭାବେ ଜଡିତ | ଲୋକ ଶବ୍ଦ ବିଶେଷ ବ୍ୟାପକ | ଏହାର ଅର୍ଥ ସର୍ବସାଧାରଣ ଜନତା | କନ୍ଧ, ସାନ୍ତାଳ, ଭୂୟାଁ, ଗଣ୍ଡ, ଶବର, ହୋ, ପରାଜଙ୍କ ଠାରୁ ଆରମ୍ଭ କରି ପଲ୍ଲୀ ଆଉ ନଗରର ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ଜନତା ପର୍ଯ୍ୟନ୍ତ ସମସ୍ତେ ଏହାର ଅର୍ନ୍ତଗତ | ଏ ଗୋଷ୍ଠୀର ବିଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ସାଂସ୍କୃତିକ ବୈଷମ୍ୟ ଅଳ୍ପ | ଆଚାର, ବିଚାର, ଚଳଣିରେ ତାରତମ୍ୟ ସାମାନ୍ୟ | ଲୋକଗୀତ, ଅଗଣିତ ଜନ ହୃଦୟର ସ୍ମାରକ | ଗୋଟିଏ କଣ୍ଠରୁ ଆଉ ଏକ କଣ୍ଠକୁ ଏହା ଆସେ | ପ୍ରତିଯୁଗରେ ଏହା ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୁଏ | ଏକ ଅଂଚଳରେ ଲୋକଗୀତ ସୃଷ୍ଟି ହୋଇ, ଗୋଟିଏ ଗୀତ କ୍ରମେ ଲୋକମୁଖର ସାରା ଦେଶରେ ବ୍ୟାପ୍ତ ହୋଇଥାଏ | ଲୋକ କବି ପଲ୍ଲୀର କଥା, ଜୀବନଚର୍ଯ୍ୟା, ତାର ମୁଖରେ ରହିଲେ ବି ପ୍ରତି ମୁହୂର୍ତ୍ତରେ ତା ହୃଦୟକୁ ଘାରିଥାଏ | ତେଣୁ ଏହି ଲୋକଗୀତ, ପଲ୍ଲୀ କବିର ସୁଖ ଦୁଃଖର ଅବଲମ୍ବନ  ହୋଇଥାଏ | ନିଜର ଚତୁଃପାର୍ଶ୍ୱକୁ ସମ୍ବଳ କରି ସେ ଗୀତ ବୋଲେ | ସେ ଗୀତ କୌଣସି କାଗଜରେ ଛାପହୋଇ ରହେ ନାହିଁ  କିନ୍ତୁ ଏହି ସ୍ୱୟଂସଂପୂର୍ଣ ଆତ୍ମଭୋଳା ସରଳ ପଲ୍ଲୀ ହୃଦୟର ସହଜ ସ୍ୱର ଆମେ ଯେତେବେଳେ ଶୁଣୁ, ସେତେବେଳେ ଆମେ ଚାତ୍ମକୃତ ହୋଇଯାଉ | ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଅନେକ ଲୋକଗୀତ ରଚିତ | ଏହି ଲୋକଗୀତମାନଙ୍କ ସ୍ୱତନ୍ତ୍ରତା ଅତି ଉଚ୍ଚକୋଟୀର, ଭାବପ୍ରବଣ, ଅତୀବ ମନୋଜ୍ଞ ଓ ଏହାର ପ୍ରଭାବ ଅତି ହୃଦୟସ୍ପର୍ଶୀ | ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠତ୍ଵ କିପରି ଜନମାନସରେ ଆଲୋଡନ ସୃଷ୍ଟି କରେ, ତାହାର ନିର୍ଭରଯୋଗ୍ୟ ପ୍ରମାଣ ହେଉଛି, ଓଡ଼ିଆ ଲୋକଗୀତ | ପ୍ରତିଟି ଓଡ଼ିଆର, ଅନ୍ତରର, ପ୍ରିୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଛି ଗଭୀର ଶ୍ରଦ୍ଧା, ଅନାବିଳ ପ୍ରେମ, ଅସୀମ ଭକ୍ତି, ଆନ୍ତରିକ ଅତ୍ମୀୟତା ଯାହା ଓଡ଼ିଆ ଲୋକଗୀତରେ ସମୂହ ଦେଖିବାକୁ ମିଳେ |

Article Details

How to Cite
ମହାନ୍ତି ଡ. ନ. (2022). ଓଡ଼ିଆ ଲୋକଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱରୂପ : ଏକ ଅନୁଶୀଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/74
Section
Articles